ଶୋଚନୀୟ ୩୨୬ ନମ୍ବର ଜାତୀୟ ରାଜପଥ ।

ଶୋଚନୀୟ ୩୨୬ ନମ୍ବର ଜାତୀୟ ରାଜପଥ ।

ଶୋଚନୀୟ ୩୨୬ ନମ୍ବର ଜାତୀୟ ରାଜପଥ ।

ସରିଲାଣି ସମୟ ସୀମା କିନ୍ତୁ ଅଧପନ୍ତରିଆ ଅନେକ ନିର୍ମାଣାଧୀନ ସେତୁ ।

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର) ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାକୁ ଅନ୍ୟ ଜିଲ୍ଲା ଓ ରାଜ୍ୟସହ ଯୋଡିଥାଏ । ପ୍ରତିଦିନ ସହସହ ଦୂରଗାମୀ ଓ ଭାରିଯାନ ଆନ୍ଧ୍ର, ଛତିଶଗଡ, ତେଲେଙ୍ଗନା ଭଳି ବିଭିନ୍ନ ରାଜ୍ୟକୁ ଏହି ୩୨୬ ନଂ ଜାତୀୟ ରାଜପଥରେ ମାଲକାନଗିରି ଜିଲ୍ଲା ଦେଇ ଯାତାୟାତ କରେ । ଏହି ରାସ୍ତା ହେବା ପରେ ଜିଲ୍ଲାରେ ଯାତାୟାତରେ ଅନେକ ସୁଧାର ଆସିଥିବା ବେଳେ ବର୍ତ୍ତମାନ କିନ୍ତୁ ଏହି ରାସ୍ତାର ଶୋଚନୀୟ ସ୍ଥିତି ଜିଲ୍ଲାବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ରାସ୍ତାର ଦୁରବସ୍ଥା ଓ ଅଧୂରା ଭିତ୍ତିଭୂମି ପ୍ରକଳ୍ପ ଯୋଗୁଁ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି I ବର୍ଷା ଦିନରେ ଏହି ୩୨୬ ଜାତୀୟ ରାଜପଥରେ ରହିଥ‌ିବା ବହୁ ପୁରୁଣା ତଳୁଆ ପୋଲ ଗୁଡିକ ଜଳମଗ୍ନ ହୋଇ ପଡୁଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏହାସହ ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦ ସଙ୍କୁଳ ହୋଇପଡିଛି। ଏହି ରାଜପଥରେ ଥ‌ିବା ତଳୁଆ ପୋଲ ଗୁଡିକ ବଦଳରେ ଅନେକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ବାରମ୍ବାର ଟେଣ୍ଡର ହୋଇ ଅନେକ ଠିକା ସଂସ୍ଥାକୁ କାର୍ଯ୍ୟ ଦାୟିତ୍ବ ଦିଆଯାଉ ଥିଲେ ମଧ୍ୟ ସମୟ ସୀମା ସରିବା ପରେ ଅନେକ ସେତୁ ଅର୍ଦ୍ଧ ନିର୍ମାଣ ଅବସ୍ଥାରେ ରହିଛି । ସୂଚନାନୁଯାୟୀ, ଗୋବିନ୍ଦପାଲ୍ଲୀ ଘାଟିରୁ ମୋଟୁ ପର୍ଯ୍ୟନ୍ତ ୧୫୮ କିଲୋମିଟର ରାସ୍ତା ମଧ୍ୟରେ ୯ ଟି ସେତୁ ନିର୍ମାଣ ପାଇଁ ୧୧୬ କୋଟି ଏମ୍‌ଭି-୭, ଏମ୍‌ଭି-୧୯, ଆମଲାଯୋଡି ଓ ମାହାରାଜପାଲ୍ଲୀ ର ୪ ଟି ସେତୁ ପାଇଁ ୩୭କୋଟି ଟଙ୍କାର ଅନୁମୋଦନ ମିଳିଥିଲା। ଛତିଶଗଡ ବିଜାପୁର  ଜିଲ୍ଲାର ଶିବଶକ୍ତି ଇଞ୍ଜିନିୟରିଂ ୱାର୍କ୍ସ କମ୍ପାନୀକୁ ଏହି କାମ ମିଳିଥିବା ବେଳେ ଏହାର କାର୍ଯ୍ୟ ମେ ୨୦୨୫ ସୁଦ୍ଧା ଶେଷ ହେବା ପାଇଁ ଡେଡଲାଇନ ଥିଲା । କିନ୍ତୁ ଏହିସବୁ କାର୍ଯ୍ୟ ବର୍ତ୍ତମାନ ସୁଧା ଶେଷ ହୋଇ ନାହିଁ । ସେହିପରି ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୯୦ ଓ ଏମ୍‌ଭି-୯୬ ର ସେତୁ ପ୍ରକଳ୍ପ ମଧ୍ୟ ବହୁ ପୂର୍ବରୁ ଅନୁମୋଦିତ ହୋଇଥିଲା । ୭୯ କୋଟି ଟଙ୍କାରେ ବିଳ।ସପୁର ର ବ୍ରିଜେଶ ଅଗ୍ରୱାଲ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା । ହେଲେ ଉକ୍ତ ସଂସ୍ଥା ସଠିକ ଭାବେ କାର୍ଯ୍ୟ କରି ନ ଥିବା ବେଳେ ପୁନଃ ଟେଣ୍ଡର କରି କଟକର ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକ୍ସନ ଲିମିଟେଡ କୁ କାର୍ଯ୍ୟ ଦାୟିତ୍ବ ଦିଆଯାଇଥିଲା । ଏହା ମଧ୍ୟ ମେ ୨୦୨୫ ସୁଦ୍ଧା ଶେଷ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଶୀଘ୍ର ରାସ୍ତା ମରାମତି ସହ ସମସ୍ତ ଅଧୂରା ସେତୁ କାମ ଶେଷ କରିବାକୁ ଦାବି କରିଛନ୍ତି I ତେବେ ଏସବୁକୁ ନେଇ ଆମେ ଏନ୍‌ଏଚ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାର୍ଯ୍ୟ ସଠିକ ଭାବେ କରୁନଥିବା ଠିକା ସଂସ୍ଥା ଗୁଡିକୁ ହଟାଇ ପୂର୍ବ ଟେଣ୍ଡର ବାତିଲ ହୋଇ ନୂତନ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଅନେକ ସେତୁ କାର୍ଯ୍ୟ ଯଥାଶୀଘ୍ର ଶେଷ ହେବ ଏବଂ ଖୁବ୍‌ଶୀଘ୍ର ରାସ୍ତା ଗୁଡିକର ମରାମତି ମଧ୍ୟ କରାଯିବ। ବଡବଡ ଖାଲ ଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ତାହାକୁ ସମତଳ କରାଯାଇଛି I ଯଥାଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି I ତେବେ ଏହି ୩୨୬ ନଂ ଜାତୀୟ ରାଜପଥ କାର୍ଯ୍ୟ ଦିଗରେ ପ୍ରଶାସନ ଅଧିକ ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ନେଲେ ଜିଲ୍ଲାବାସୀଙ୍କ ଯାତାୟାତରେ ଭୋଗୁଥିବା ସମସ୍ୟା ଦୂର ହୋଇପାରିବ ବୋଲି ଜିଲ୍ଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି I